Odisha Daily News Live: ଇସ୍ତଫା ଦେଲେ ସାମ୍ ପିତ୍ରୋଦା , ପଢି ନିଅନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2239068

Odisha Daily News Live: ଇସ୍ତଫା ଦେଲେ ସାମ୍ ପିତ୍ରୋଦା , ପଢି ନିଅନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଇସ୍ତଫା ଦେଲେ ସାମ୍ ପିତ୍ରୋଦା , ପଢି ନିଅନ୍ତୁ ଆଜିର ଆଉ କିଛି ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

08 May 2024
21:00 PM

Punjab BJP Candidate List: ଭାରତୀୟ ଜନତା ପାର୍ଟି ପଞ୍ଜାବର ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଆନନ୍ଦପୁର ସାହିବରୁ ଡକ୍ଟର ସୁଭାଷ ଶର୍ମା, ଫେରୋଜପୁରର ରାଣା ଗୁରୁମିତ ସିଂ ସୋଡି ଏବଂ ସାଙ୍ଗରୁର ଆସନରୁ ଅରବିନ୍ଦ ଖାନ୍ନାଙ୍କୁ ଟିକେଟ୍ ଦିଆଯାଇଛି। ଏହି ତିନୋଟି ନାମ ଘୋଷଣା ସହିତ ବିଜେପି ରାଜ୍ୟର ୧୨ ଟି ଲୋକସଭା ଆସନରେ ପ୍ରାର୍ଥୀ କରିଛି। 

 

20:50 PM

Odisha Daily News Live: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆଠ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଘଟଣା। ନାବାଳିକାଙ୍କ କିଛି ପୁରୁଷ ବନ୍ଧୁ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କରେ କିଛି ନିଶା ଦେଇ ଦୁଷ୍କର୍ମ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା। ତିନି ଦିନ ପୂର୍ବେ ଘଟିଛି ଘଟଣା, ପୋଲିସ ଏବେ ତଦନ୍ତ ଜାରି ରଖିଛି। ୮ଜଣ ଯୁବକଙ୍କୁ ଆଜି ଡାକ୍ତରୀ ମାଇନା ପରେ ପୋଲିସ୍ ଗିରଫ କରିଛି। ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ ଏ-ବିଷୟର ସୂଚନା ଦେଇଛନ୍ତି ।

 

20:48 PM

Odisha Daily News Live: ସମ୍ବଲପୁର କୁମ୍ଭାରପଡା ଅଞ୍ଚଳରୁ ଡକାୟତି ମସୁଧା କରୁଥିବା ବେଳେ ୬ ଜଣଙ୍କୁ ମାଡି ବସିଲା ପୋଲିସ । ସେ ଭିତରୁ ଦୁଇ ନାବାଳକ ରହିଥିବାର ସୂଚନା ଦେଇଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଗୋଟିଏ ଗୁଳି, ପାଞ୍ଚଟି ଛୁରୀ ଜବତ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ସେମାନେ ମୋଦିପଡ଼ା ଅଞ୍ଚଳରେ ଡକାୟତି କରିବା ପାଇଁ ମସୁଧା କରୁଥିବାର ସୂଚନା ଦେଇଛି ପୋଲିସ୍। 

 

20:32 PM

Entertainment News: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରୁ ଆରମ୍ଭ ହୋଇଥିବା ମେଗା ଧାରାବାହିକ ‘ମଧୁର ସଂସାର’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ମଧୁ ଖବର କାଗଜ଼ କମ୍ପାନୀରେ ସାମ୍ବାଦିକା ଭାବରେ ନିଯୁକ୍ତି ହେବା  ଭରଦ୍ୱାଜ ପରିବାରର କିଛି ସଦସ୍ୟଙ୍କୁ ଭଲ ଲାଗେ ନାହିଁ l କିନ୍ତୁ ସ୍ବର୍ଣ୍ଣ ଯେହେତୁ ମଧୁକୁ ସମର୍ଥନ କରେ, ତେଣୁ ମଧୁଙ୍କୁ ଏହି କାମ କରିବାକୁ କେହି ଅଟକାଇ ପାରନ୍ତି ନାହିଁ | ବୋମା ଫିଙ୍ଗି ନିଜ ଶ୍ୱଶୁର ଘରକୁ ଧମକ ଦେଇଥିବା ଗୁଣ୍ଡା ବିରୋଧରେ ପ୍ରମାଣ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥାଏ ମଧୁ । ଏଭଳି‌ କାର୍ଯ଼୍ୟ ପାଇଁ ମଧୁ ତାଙ୍କ ଶ୍ୱଶୁର, ଦିଅର ଏବଂ ନଣନ୍ଦଙ୍କ  ସାହାଯ୍ୟ ନିଅନ୍ତି l ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡାଙ୍କ  ଘରେ ଛଦ୍ମବେଶରେ ପଶି ପ୍ରମାଣ ସଂଗ୍ରହ କରିବାରେ ଲାଗିପଡନ୍ତି | ତେବେ ସେମାନେ ଗୁଣ୍ଡାକୁ କଣ ଗିରଫ କରାଇବାରେ ସଫଳ ହେବେ? ମଧୁ ଙ୍କୁ କଣ ସମସ୍ତଙ୍କଠାରୁ ପ୍ରଶଂସା ମିଳିବ? ମାନସ କଣ ମଧୁ ଙ୍କ କାର୍ଯ୍ୟ ପାଇଁ ଗର୍ବ କରିବେ?  ସବୁପରେ ଯୌଥ ପରିବାର ମଧ୍ୟରେ ଥିବା ଅନ୍ୟ ଏକ ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରେ ମଧୁ l ହେଲେ ମଧୁ କଣ ସଫଳ ହେଇପାରିଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ସୋମବାରରୁ ଶନିବାର  ସନ୍ଧ୍ୟା ୭ ଟା ରୁ ମେଗା ଧାରାବାହିକ "ମଧୁର ସଂସାର" ।

 

19:36 PM

Sam Pitroda Quits Congress Post: ଇଣ୍ଡିଆନ୍ ଓବରସିଜ୍ କଂଗ୍ରେସ ସଭାପତି ସାମ ପାତ୍ରୋଦା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜାତିଆଣ ବୟାନ ଦେବା ପରେ ସେ ବିରୋଧିଙ୍କ ଟାର୍ଗେଟରେ ଥିଲେ। କଂଗ୍ରେସ ଦଳ ମଧ୍ୟ ତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଛି। ଦଳର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ଯେ ପାତ୍ରୋଦା ଟ୍ରୋଡାଙ୍କ ଇସ୍ତଫାକୁ ଦଳର ନେତୃତ୍ୱ ଗ୍ରହଣ କରିଛନ୍ତି। 

19:16 PM

Odisha News: ରାଜ୍ୟ ବିଜେପି ଉପସଭାପତି ତଥା ଯୁବ ଦଇତାପତି ଭବାନୀ ଦାସ ମହାପାତ୍ରଙ୍କ ନେତୃତ୍ବରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ବାହାରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜୟ ମାଳ ଓ ମହାପ୍ରସାଦ। ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପ୍ରାର୍ଥୀଙ୍କ ବିଜୟ କାମନା ସହ ଓଡ଼ିଶାର ଅସ୍ମିତା ପାଇଁ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର,ମାଳ,ମହାପ୍ରସାଦ,ପତିତପାବନ ବାନା,ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ନେଇଛନ୍ତି ଯୁବ ଦଇତାପତି ସେବାୟତ। ଓଡ଼ିଶାବାସୀଙ୍କର ମଙ୍ଗଳ କାମନା କରି ଭାରତୀୟ ଜନତା ପାର୍ଟି ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ବିଜୟ କାମନା କରି ଭବାନୀ ଏହି ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ସିଂହଦ୍ଵାର ଠାରୁ ଘଣ୍ଟଘଣ୍ଟା ପଟୁଆରରେ ବାହାରିଛି ଏହି ନିଆରା ଶୋଭାଯାତ୍ରା। ରାଜ୍ୟର ୩୦ଟି ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ଓ ଲୋକସଭା ସାଂସଦ ପ୍ରାର୍ଥୀଙ୍କୁ ମହାପ୍ରଭୁଙ୍କ ଆର୍ଶୀବାଦ ଭେଟି ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭବାନୀ ଦାସ ମହାପାତ୍ର।

18:51 PM

Odisha Election 2024: କେନ୍ଦ୍ର ସରକାରଙ୍କ ୧୦ ବର୍ଷର ସଫଳତା ଓ ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ ପୁରୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜେପି। ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବାପରେ ମୋଦିଙ୍କ ନେତୃତ୍ୱରେ ୧୦ ବର୍ଷର ସୁଶାସନକୁ ରଖିଛି ବିଜେପି । ବିକଶିତ ଭାରତର ସଂକଳ୍ପ, ସବ୍ କା ସାଥ ସବ୍ କା ବିକାଶ ,ଭାରତ ବର୍ଷର ଚାରି ସ୍ତମ୍ଭ ପାଇଁ ତାଙ୍କର ଯୋଜନା , ମହିଳା  , ଯୁବକ, କୃଷକ, ଗରିବ ପାଇଁ ଉନ୍ନତି, ଲୋକାଭିମୁଖି କାର୍ଯ୍ୟକ୍ରମ,ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ରୁ ଉର୍ଦ୍ଧ୍ବ ନାଗରିକଙ୍କୁ ମାଗଣା ରାସନ୍ ଯୋଗାଇବା ,୪ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଆବାସ, ୩୪କୋଟି ରୁ ଉର୍ଦ୍ଧ୍ବ ଲୋକଙ୍କୁ ନାଗରିକ ସ୍ବାସ୍ଥ୍ୟବୀମାରେ ସାମିଲ କରିବା ,୧୦ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନା ଅନ୍ତର୍ଭୁକ୍ତ କରିବା ,୧୧ କୋଟିରୁ ଉର୍ଦ୍ଧ୍ବ ପରିବାରକୁ ଶୌଚାଳୟ ,୯.୮ କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ ,୧୧ କୋଟି କୃଷକ ଙ୍କୁ ବାର୍ଷିକ ୬ ହଜାର ,୨୬ ସପ୍ତାହ ମାତୃତ୍ଵ ଛୁଟି ଏସବୁକୁ ଆଜି ଗଣମାଧ୍ୟମ ଆଗରେ ରଖିଛି ବିଜେପି । 

17:14 PM

Arvind Kejriwal Bail: ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଲିକର୍ ପଲିସି ମାମଲାରେ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଖୁବ ଶୀଘ୍ର ଆସିବ। ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁକ୍ରବାର ଦିନ ଆସିପାରେ। ଆଜି ଅର୍ଥାତ୍ ବୁଧବାରର ପ୍ରକ୍ରିୟା ପରେ ବେଞ୍ଚରୁ ଉଠିବାବେଳେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ଓକିଲଙ୍କୁ କହିଛନ୍ତି ଯେ ସେ ଶୁକ୍ରବାର ଦିନ ଏହି ମାମଲାରେ ରାୟ ଦେବେ।

16:47 PM

Gujarat earthquake: ବୁଧବାର ଦିନ ଗୁଜୁରାଟରେ ଭୂକମ୍ପ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଏହି ସମୟ ମଧ୍ୟରେ କୌଣସି ଜନ-ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। କୁହାଯାଉଛି ଯେ ଏହି କମ୍ପନଗୁଡ଼ିକ ତଲାଲାରେ ଅନୁଭୂତ ହୋଇଥିଲା। ପଢ଼ନ୍ତୁ ପୂରା ଖବର...

16:45 PM

Air India Express: ଶହ ଶହ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀ ଏକାଠି ସିକ୍ ଲିଭରେ ଯାଇଛନ୍ତି। ପ୍ରାୟ ୩୦୦ ବରିଷ୍ଠ କ୍ୟାବିନ କ୍ରୁ ସଦସ୍ୟ ଶେଷ ମୁହୂର୍ତ୍ତରେ ଅସୁସ୍ଥ ଥିବା ଜଣାଇ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ତାଙ୍କ ସହ ଯୋଗାଯୋଗ କରିବାରେ କମ୍ପାନୀ ଅସମର୍ଥ। ପଢ଼ନ୍ତୁ ପୂରା ଖବର...

16:39 PM

Odisha Daily News Live: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। କାର୍ କୁ ଧକ୍କା ଦେଲା ଟ୍ରକ୍ । ଫଳରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରସ୍ ଓ୍ବେରେ ଏହି ଅଘଟଣ ଘଟିଛି।  ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। 

 

16:13 PM

Odisha News: ନବରଙ୍ଗପୁର ଜିଲ୍ଲା ରେ ଦୁଇ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି । ଯାହାକୁ ନେଇ ପୂରା ଜିଲ୍ଲାରେ ଆତଙ୍କ ଖେଳି ଯାଇଛି।  ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା ସେଥି ମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ  ରୁବେଲା ଚି଼ହ୍ନଟ ହୋଇଛି। ଏହାକୁ ଜର୍ମାନୀ ମିଳିମିଳା ବି କୁହାଯାଏ। ଏହା ଏକ ଭୁତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୁଏ । ରିପୋର୍ଟ ଆସିବା ପରେ who ଓ ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି। 

12:59 PM

Odisha Daily News Live: ପାରାଦୀପ ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ହକ୍ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ଭାରତୀୟ ମଜଦୁର ସଂଘ। ପାରାଦୀପ ମଧୁବନ ସ୍ଥିତ ଭାରତୀୟ ବନ୍ଦର ମଜଦୁର ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ ସଂଘର ଜାତୀୟ ସ୍ତରର ନେତୃବୃନ୍ଦ। ଦେଶରେ ପ୍ରତ୍ୟେକ ବନ୍ଦର ରେ ଶ୍ରମିକ ମାନଙ୍କ ପ୍ରମୁଖ ସମସ୍ୟା ରହିଥିବା ବେଳେ ଏହି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ ଭାରତୀୟ ମଜଦୁର ସଂଘ। ସ୍ଥାୟୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଠିକା ଶ୍ରମିକଙ୍କ ଦରମା ବୃଦ୍ଧି ଓ ବିଭିନ୍ନ ସମସ୍ୟା କୁ ନେଇ ଭାରତୀୟ ମଜଦୁର ସଂଘ ସରକାର ଙ୍କ ନିକଟରେ ତାର ସ୍ବର ଉଠାଇବ ବୋଲି କେନ୍ଦ୍ରୀୟ ନେତୃତ୍ୱ ମାନେ କହିଛନ୍ତି। ଏହି ଅବସରରେ ପାରାଦୀପ ଠାରେ ଥିବା ଭାରତୀୟ ମଜଦୁର ସଂଘର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପୁନର୍ବାର ଶ୍ରମିନେତା ରାକେଶ କୁମାର ପଟ୍ଟନାୟକଙ୍କୁ ସଭାପତି ଭାବେ ଚୟନ କରା ଯାଇଛି। ସଂଘର ସାଧାରଣ ସଂପାଦକ ତଥା ବୋର୍ଡ ମେମ୍ବର ପାରାଦୀପ ପୋର୍ଟ ଅଥରିଟି ଶ୍ରୀକାନ୍ତ ରାଏ ଙ୍କୁ ଭାରତୀୟ ପୋର୍ଟ ଆଣ୍ଡ ମଜଦୁର ମହାସଂଘର ସଭାପତି ଭାବେ ତାଙ୍କ ନାମ ଘୋଷଣା କରା ଯାଇଥିବାରୁ ସେ ସମସ୍ତ କର୍ମକର୍ତ୍ତା ଓ କେନ୍ଦ୍ରୀୟ ନେତୃବୃନ୍ଦ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଗୁତୁତ୍ବପୂର୍ଣ୍ଣ ଦାୟିତ୍ୱ ଦିଆ ଯାଇଥିବାରୁ ବନ୍ଦର ର ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କ ହକ୍ ପାଇଁ ତାଙ୍କ ର ଲଢେଇ ଜାରି ରହିବ ବୋଲି କହିଛନ୍ତି।

12:55 PM

Odisha Daily News Live:ବଢ଼ିଲା ଅନୁଭବଙ୍କ ଅଡୁଆ। ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲା। କଟକ  ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ। ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ୍ ଦାୟର କରିଥିଲେ ଅନୁଭବ। ମେ' ୧୦ରେ ଚାର୍ଜଫ୍ରେମ୍ ପାଇଁ JMFC କୋର୍ଟଙ୍କ ନିର୍ଦ୍ଦେଶ।

12:28 PM

Odisha News Live Updates: ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ସିବିଆଇ ଅଫିସ୍‌ର, ୨ ଲକ୍ଷ ଟଙ୍କା ଗାଏବ
ଅନ୍‌ଲାଇନ୍‌ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଜଣେ ସିବିଆଇ ଅଫିସ୍‌ର ମଧ୍ୟ ଏପରି ଏକ ଦୁର୍ନୀତିର ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଜଣେ ୫୯ ବର୍ଷ ବୟସ୍କ ଜଣେ ସିବିଆଇ ଅଫିସର୍‌ ସାଇବର୍‌ ଠକାମୀର ଶିକାର ‌ହୋଇଛନ୍ତି। ସେ ସାଇବର ଠକାମୀର ଶିକାର ହୋଇ ୨ ଲକ୍ଷ ଟଙ୍କା ହରାଇ ଦେଇଥିବା ଜାଣିବାକୁ ମିଳିଛି।

12:12 PM

Odisha News Live Updates: ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି
ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

11:48 AM

Odisha News Live Updates: ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍‌କାମର ଆତ୍ମସମର୍ପଣ: ଓଡ଼ିଶା
କେକେବିଏନ୍‌ ମାଓ ଡିଭିଜନର ବରିଷ୍ଠ କ୍ୟାଡର୍‌ ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍‌କାମ ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ ପରେ ମାଡ୍‌କାମ କହିଛନ୍ତି, ମାଓ ସଂଗଠନରେ ଆଉ ନୀତିଆଦର୍ଶ ନାହିଁ। ବହୁଦିନ ଧରି ସମାଜର ମୁଖ୍ୟ‌ସ୍ରୋତରୁ ସେ ଦୂରରେ ରହିଥିଲେ। ଏବେ ସେ ପରିବାର ସହ ସମୟ ବିତାଇବେ।

11:36 AM

Odisha News Live Updates: ଓଡ଼ିଶା ମୋର କର୍ମଭୂମି: ଭି କେ ପାଣ୍ଡିଆନ
ଆଜି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଓଡ଼ିଶା ଛାଡ଼ି ପଳେଇବେ କି ? ଏହି ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ୍  କହିଥିଲେ, ଓଡ଼ିଶା ମୋର କର୍ମଭୂମି। ମୋ ପୁଅ ଓ ଝିଅଙ୍କ ମାତୃଭାଷା ଓଡ଼ିଆ।  ଓଡ଼ିଶାବାସୀଙ୍କଠୁ ସ୍ନେହ ଓ ପ୍ରଚୁର ଭଲ ପାଇବା ପାଇଛି। ମୁଁ, ମୋ କର୍ମଭୂମିକୁ କେବେ ଛାଡ଼ିପାରିବିନି। ଆସନ୍ତାକାଲି ମହାପ୍ରଭୁ ଯାହା ଚାହିଁବେ ତାହା ହେବ।

 

11:24 AM

Odisha News Live Updates: କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲା ପୁଅ, ରାସ୍ତାରେ ଚଲାଇ ଚଲାଇ ଶାସ୍ତି ଦେଲେ ବାପା
ପୁତ୍ର ପ୍ରେମରେ ଅନ୍ଧ ପାଲଟିନଥିଲେ ବାପା । ପୁଅକୁ ଶାସ୍ତି ଦେବା ସହ ଆଇନର ସହାୟତା କରିଥିବାରୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ଯେ ଶୁଣୁଛି ସେ କହୁଛି, ବାପା ହେବ ତ ଏମିତି । ସୂଚନା ଅନୁସାରେ, ଘରେ ସ୍ତ୍ରୀ ଥାଉ ଥାଉ ପୁଅ କୋର୍ଟରେ ଦ୍ୱିତୀୟ ବିବାହ କରୁଥିବା ଶୁଣି, ତାଙ୍କୁ ରାସ୍ତାରେ ଚଲାଇ ଚଲାଇ ଆଣି ଥାନାରେ ଜିମା ଦେଲେ ବାପା । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏଭଳି ଏକ ରୋଚକ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଏଡ଼ତାଳ ଗାଁର ବିଷ୍ଣୁମୋହନଙ୍କ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି । ଏସବୁ ସତ୍ତ୍ୱେ ଅଜୟ ଆଜି ଆଉ ଜଣେ ମହିଳାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ଯାଇଥିଲେ ।

10:58 AM

Odisha News Live Updates: ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ
କାଳବୈଶାଖୀ ଆଣିଛି ତାତିରୁ ଆଶ୍ବସ୍ତି । ଆହୁରି ୪ ଦିନ ଯାଏଁ ଏଭଳି ରହିବ ପାଗ । ଆସନ୍ତା ୨-୩ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

10:37 AM

Odisha News Live Updates: ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ 
ଯୁକ୍ତ ଦୁଇ ଛାତ୍ରୀଙ୍କୁ ସହପାଠୀଙ୍କ ଗଣବଳାତ୍କାର। ମୃଦୁପାନୀୟ ଦେଇ ଛାତ୍ରୀଙ୍କୁ ତାଙ୍କର ୮ ଜଣ ସହପାଠୀ ଗଣବଳାତ୍କାର କରିଛନ୍ତି। ଗଞ୍ଜାମ ବ୍ରହ୍ମପୁର ସହରରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଏନେଇ ପୀଡିତାଙ୍କ ପରିବାର ଲୋକେ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଉଠାଇ ଆଣି ଅଟକ ରଖିଛି। ପୀଡିତାଙ୍କ ଡାକ୍ତରୀମାଇନା କରିବା ସହ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ନିର୍ବାଚନ ବାତାବରଣ ଭିତରେ ଏଭଳି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। 

10:23 AM

Odisha News Live Updates: ରାସ୍ତା ପାଇଁ ଆନନ୍ଦପୁର-ଭଦ୍ରକ ରାସ୍ତା ଅବରୋଧ
ରାସ୍ତା ପାଇଁ ରାସ୍ତାରୋକ କରିଛନ୍ତି ୩ଟି ଗ୍ରାମର ଗ୍ରାମବାସୀ। ଗାଁକୁ ପକ୍କା ସଡ଼କ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ସରକାର ୩ବର୍ଷ ତଳୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଠିକାଦାର କାମ ଆରମ୍ଭ କରିଥିଲେ ବି କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଏହି ରାସ୍ତାକୁ କରାଇ ଦେଉ ନାହାନ୍ତି। ଗତକାଲି ରାତିରେ କିଛି ଲୋକ ଠିକସଂସ୍ଥାର ମେସିନିକୁ ଭଙ୍ଗାରୁଜା କରିବା ସହିତ କାମ କରୁଥିବା ଠିକସଂସ୍ଥାର ଲୋକଙ୍କୁ ଘଉଡ଼ାଇ ଦେଇଛନ୍ତି। ଫଳରେ ରାସ୍ତା ହେବା ନେଇ ଆଶଙ୍କା ଦେଖାଦେଇଛି।

10:04 AM

Odisha News Live Updates: ୭୦ରୁ ଅଧିକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବାତିଲ୍‌
ବିମାନବନ୍ଦର ବରିଷ୍ଠ କ୍ରୁ ସଦସ୍ୟମାନେ “ଗଣ ଅସୁସ୍ଥତା ଛୁଟି”ରେ ଯିବା ପରେ ୭୦ରୁ ଅଧିକ ଆନ୍ତର୍ଜାତୀୟ ତଥା ଘରୋଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରିଦିଆଯାଇଛି। ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି।

09:37 AM

Odisha News Live Updates: ଆଜି ଓଡିଶା ଆସୁଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ 
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାୟଗଡ଼ା ଓ ଭବାନୀପାଟଣାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଦଳୀୟ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ ରାଜନାଥ । ପ୍ରତିରକ୍ଷା ମନ୍ତ୍ରୀ ଆସୁଥିବାରୁ ବିଜେପି କର୍ମୀଙ୍କ ମନରେ ମଧ୍ୟ ଉତ୍ସାହ ବଢ଼ିଛି । ରାଜନାଥଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆଜି କୋରାପୁଟ ଆସି ବିଭିନ୍ନ ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

 

09:18 AM

Odisha News LIve Updates: ହାଇୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆ ପଞ୍ଚାୟତ ସୋଲାପଟା ଗ୍ରାମର ବଟକୃଷ୍ଣ ଜେନାଙ୍କ ପୁଅ ସମର କେଶରୀ ଜେନା (୩୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍‌ଣ ୩ଟାବେଳେ ସେ ଘରୁ ଭଦ୍ରକ ଯାଉଥିଲେ। ଆନନ୍ଦପୁର-ଭଦ୍ରକ ରାସ୍ତାର ତିରିକଣାଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

09:13 AM

Odisha News Live Updates:  ଘୋଷାଡ଼ି ନେଲା ଟ୍ରକ୍, ଉଡ଼ିଗଲା ଦମ୍ପତିଙ୍କ ପ୍ରାଣବାୟୁ
ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟେ ଦମ୍ପତି ବୋଲି ଜଣାଯାଇଛି।

08:59 AM

Odisha News Live Updates: ଆଉ ଆସିବନି କୋଭିସିଲ୍ଡ,ଟିକା, ପ୍ରସ୍ତୁତି ଓ ବିକ୍ରି ଉପରେ ଲାଗିଲା ବ୍ୟାନ
କରୋନା ମହାମାରୀକୁ ରୋକିବା ପାଇଁ ବହୁ ପରିମାଣରେ ଟୀକାକରଣ କରାଯାଇଥିଲା, କିନ୍ତୁ ଟିକାକୁ ନେଇ ଅନେକ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ଏହି କାରଣରୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରୋଜେନେକା ଗ୍ରହଣ କରିଛି ଯେ କୋଭିଡ୍-୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ଏହି କାରଣରୁ, ଶରୀରରେ ରକ୍ତ ଜମାଟ ବାନ୍ଧିପାରେ ଯଥା TTS ରୋଗ ହୋଇପାରେ। ବର୍ତ୍ତମାନ ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରା ଜେନେଙ୍କା କରୋନା ଟିକା ଉତ୍ପାଦନ ଏବଂ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। 

 

08:34 AM

Odisha News Live Updaets: ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ
ସକାଳୁ ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପର୍ଷିଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍। ସେ କହିଛନ୍ତି ଧର୍ମେନ୍ଦ୍ର କ୍ଷମତାରେ ଏତେଦିନ ରହିବା ପରେ ଓଡ଼ିଶା ପାଇଁ କିଛି କରି ନାହାନ୍ତି। ତାଙ୍କୁ କେବଳ ମୁଖ୍ୟମନ୍ତ୍ରୀ ଚୌକି ଦରକାର। ଏଣୁ ଓଡ଼ିଆ ଅସ୍ମିତା, ଗୌରବ କଥା କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ସ୍ୱାପ କରିବ। ଏହିଠାରୁ ବିଜେପିର ସ୍ୱପ୍ନ ଭାଙ୍ଗିଯିବ ବୋଲି କହିଛନ୍ତି ପାଣ୍ଡିଆନ୍‍।  ପାରଳାଖେମୁଣ୍ଡିରେ ଗୋଟିଏ ଆସନରେ ବିଜେପି ସଙ୍ଗେ ଲଢ଼େଇ ହେଉଛି। ଅନ୍ୟ ସବୁ ଜାଗାରେ ବିଜେଡିର ବିକଳ୍ପ ନାହିଁ ବୋଲି କହିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

08:17 AM

Odisha News Live News Updates: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୬ ଘଣ୍ଟା ବନ୍ଦ
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୬ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

08:15 AM

Odisha News Live News Updates: କମୁଛି ମତଦାନ ହାର, ଚିନ୍ତାରେ ବିଜେପି
ଲଗାତାର ଭାବେ ତୃତୀୟ ପର୍ଯ୍ୟାୟ ମତଦାନରେ ମଧ୍ୟ ଭୋଟିଂ ହାର କମିଛି। ପୂର୍ବ ନିର୍ବାଚନର ମତଦାନ ହାରକୁ  ତୁଳନା କଲେ ଏହା ସ୍ପଷ୍ଟ ହୋଇଛି। ଏନେଇ ବିଜେପି ଓ ଏନ୍‍ଡିଏ ଚିନ୍ତାରେ ପଡ଼ିଛି। ବିଶେଷକରି ବିଭିନ୍ନ ସ୍ଥାନରେ ଦଳର କର୍ମୀଙ୍କୁ ଅସନ୍ତୁଷ୍ଟ କରି ବାହାରୁ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରାଯିବା ଦ୍ୱାରା ଦଳରେ ଅଳସୁଆମୀ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୪ ଲୋକସଭା ଆସନ ଲାଗି ଭୋଟ ଗ୍ରହଣ ରହିଛି। ଏଣୁ କିପରି ଭୋଟର ଓ କର୍ମୀଙ୍କୁ କ୍ରିୟାଶୀଳ କରାଯାଇ ରେକର୍ଡ ଭୋଟ୍‍ ଗ୍ରହଣ କରାଯିବ ସେଥିଲାଗି ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଆସନ ଲାଗି ଭୋଟଗ୍ରହଣ କରାଯାଇଥିଲା। ଏଥିରେ ସମୁଦାୟ ୬୪.୪ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ୬୭.୩୩ ପ୍ରତିଶତ ଭେଟ୍‍ ହୋଇଥିଲା। ଅର୍ଥାତ୍‍ ୨.୯ ପ୍ରତିଶତ ଭୋଟ୍‍ ହାର ହ୍ରାସ ପାଇଛି। ପଢନ୍ତୁ ପୂରା ରିପୋର୍ଟ...

07:53 AM

Odisha live News Updates: ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ବୁଧବାର
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୮ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:52 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।