Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2050476

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢିନିଅନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର। 

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ବିଜେଡ଼ି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ
ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି।ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଜେଡି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଛନ୍ତି, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନଥିଲେ। ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି। କିନ୍ତୁ ଭେଟିବାକୁ ଦିଆଗଲାନି। ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା। ଉଦ୍ୟମ କରି ବି ଭେଟିପାରିଲି ନାହିଁ। ତେଣୁ ଇସ୍ତଫା ଦେଲି। ସେପଟେ ସେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି।

କାଳିଆ ସ୍କଲାରସିପ ଗାଇଡ଼ଲାଇନରେ ପରିବର୍ତ୍ତନ
ରାଜ୍ୟରେ ଅଧିକ ଛାତ୍ରଛାତ୍ରୀଙ୍କୁ କାଳିଆ ସ୍କଲାରସିପ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହାର ନିର୍ଦ୍ଦେଶାବଳୀରେ କିଛି ପରିବର୍ତ୍ତନ କରିଛନ୍ତି। ସୋମବାର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଏକ ପ୍ରକାଶନ ଅନୁଯାୟୀ ୨୦୨୧-୨୨ରୁ କାର୍ଯ୍ୟକ୍ଷମ ଥିବା KALIA ସ୍କଲାରସିପ୍ ପୂର୍ବରୁ ୧୭୮୯ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ରାଜ୍ୟର ସରକାରୀ ଅନୁଷ୍ଠାନଗୁଡ଼ିକରେ ବୃତ୍ତିଗତ/ବୈଷୟିକ ଶିକ୍ଷା ଗ୍ରହଣ କରିବା ପାଇଁ କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ।

ମାଲକାନଗିରିରୁ ବିମାନସେବା
ଆଜିଠୁ ବିମାନ ସେବା କ୍ଷେତ୍ରରେ ଯୋଡ଼ି ହେବ ମାଲକାନଗିରି। ଆଜି ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ। ମାଲକାନଗିରି ବିମାନବନ୍ଦର ଉଦଘାଟନ ପୂର୍ବରୁ ସେଠାରେ ଏକ ବିମାନର ପରୀକ୍ଷାମୂଳକ ଅବତରଣ ସଫଳ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିକୁ ବିମାନସେବା ଦ୍ବାରା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିମାନସେବା ଆରମ୍ଭ ହେଲେ ବାଣିଜ୍ୟ କାରବାର ବୃଦ୍ଧି ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

କଳିଙ୍ଗ ଷ୍ଟାଡ଼ିୟମରେ ସୁପର କପ
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ। ପୂର୍ବରୁ ଏହା କେବଳ ସୁପର କପ ନାଁରେ ଖେଳାଯାଇ ଆସୁଥିଲା। ଏହି ସଂସ୍କରଣରୁ ଏହାର ନାମ ପରିବର୍ତ୍ତନ କରାଯାଇଛି। ମୋଟ ୧୬ଟି ଦଳ ଏଥିରେ ଭାଗନେଇଛନ୍ତି। ଆଜି ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫସି ପରସ୍ପରକୁ ଭେଟିବେ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ।

ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ନିୟୋଜିତ କଲା ଭାରତୀୟ ନୌସେନା
ଭାରତ ବର୍ତ୍ତମାନ ଉତ୍ତର ଏବଂ ମଧ୍ୟ ଆରବିଆନ୍ ସାଗର ଠାରୁ ଆଡେନ୍ ଗଲ୍ଫ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ସାମୁଦ୍ରିକ କମାଣ୍ଡୋ ସହିତ 10 ରୁ ଅଧିକ ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜ ନିୟୋଜିତ କରିଛି। ଏହି ଅଦ୍ୱିତୀୟ "ଉନ୍ନତ ସାମୁଦ୍ରିକ ସୁରକ୍ଷା ଅପରେସନ୍" ଭାରତ ଦ୍ୱାରା ସ୍ୱାଧୀନ ଭାବରେ ପରିଚାଳିତ ହେଉଛି, ଯାହା ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ସାଧାରଣ ନାଗରିକ ତଥା ସାମରିକ ଜାହାଜ ଉପରେ ଆକ୍ରମଣ ପରେ ଡିସେମ୍ବର ମାସରେ ଲୋହିତ ସାଗରରେ ଆରମ୍ଭ ହୋଇଥିବା ବହୁରାଷ୍ଟ୍ରୀୟ 'ଅପରେସନ୍ ସମୃଦ୍ଧ ଗାର୍ଜିଆନ'ରେ ଯୋଗ ଦେଇଥିଲା। 

ପୁଣି କୋର୍ଟ ଗଲେ ମହୁଆ
ସଂସଦରୁ ନିଲମ୍ବନ ପରେ ମହୁଆ ମୋଇତ୍ରଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଆସିଛି। ଏହି ବିଷୟରେ ଟିଏମସି ନେତା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ତାଙ୍କ ଆବେଦନରେ ମହୁଆ ଯୁକ୍ତି କରିଛନ୍ତି ଯେ ତାଙ୍କ ସାଂସଦ ହେବା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ସେମାନେ ତୁରନ୍ତ ବଙ୍ଗଳା ଖାଲି କରିବାକୁ ବାଧ୍ୟ ହୋଇପାରିବେ ନାହିଁ। ଏହି ଆବେଦନରେ ସାଂସଦ ଅନୁରୋଧ କରିଛନ୍ତି ଯେ ଇଷ୍ଟେଟ୍ ନିର୍ଦ୍ଦେଶାଳୟର ଡିସେମ୍ବର ୧୧ର ଆଦେଶକୁ ବାତିଲ କରନ୍ତୁ। କିମ୍ବା ବୈକଳ୍ପିକ ଭାବରେ, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ସାଂସଦଙ୍କ ବାସସ୍ଥାନକୁ ଅଧିକୃତ ରହିବାକୁ ଅନୁମତି ଦିଆଯିବା ଉଚିତ୍। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଆଜି ଅର୍ଥାତ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।

ଜେଲ ଯିବେ ବିଲକିସ ବାନୋ ଅପରାଧୀ
ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀ ପୁନର୍ବାର ଜେଲକୁ ଫେରିବେ। ତାଙ୍କ ମୁକ୍ତି ସମ୍ପର୍କରେ ଗୁଜରାଟ ସରକାରଙ୍କ ଆଦେଶକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଜଡ଼ିତ ଏହି ଦୋଷୀଙ୍କୁ ୧୫ ବର୍ଷ ଜେଲରେ ରହିବା ପରେ ଅଗଷ୍ଟ ୨୦୨୨ ରେ ମୁକ୍ତ କରାଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ରରେ ଏହି ମକଦ୍ଦମା କରାଯାଇଥିଲା, ତେଣୁ ଗୁଜୁରାଟ ସରକାର ଦୋଷୀଙ୍କୁ ମୁକ୍ତ କରିବା ନେଇ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।

ସଲମାନଙ୍କ ଫାର୍ମ ହାଉସରୁ ଦୁଇ ଦୁର୍ବୃତ୍ତ ଗିରଫ
ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁର୍ବୃତ୍ତ। ମିଳିଲା ନକଲି ପରିଚୟପତ୍ର। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ। ସୋମବାର ଅଭିନେତାଙ୍କ ପନୱେଲ ଫାର୍ମହାଉସରେ ସେତିକି ବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁର୍ବୃତ୍ତଙ୍କୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ। ଫାର୍ମହାଉସ ପାଚେରୀ ଡେଇଁ ଏମାନେ କାହିଁକି ପଶିଲେ, କ’ଣ ଥିଲା ଉଦ୍ଦେଶ୍ୟ ଏହି ପ୍ରଶ୍ନ ଭିତରେ ତୁରନ୍ତ ଦୁଇଜଣଙ୍କୁ କାବୁ କରି ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଜେରା ସମୟରେ ଅଭିଯୁକ୍ତ କହିଛନ୍ତି ସଲମାନଙ୍କୁ ଭେଟିବା ତାଙ୍କ ଉଦ୍ଦେଶ୍ୟ ଥିଲା। ଘରୁ ଝଗଡ଼ା କରି ମୁମ୍ବାଇ ପହଁଚିଥିଲେ । ପ୍ରିୟ ଅଭିନେତାଙ୍କୁ ଭେଟିବା ମୌକା ନମିଳିବାରୁ ଫାର୍ମହାଉସରେ ଅନୁପ୍ରବେଶ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗୋଟେ ପଟେ ଜେରା ଚାଲିଥିବାବେଳେ ସେପଟେ ଘଟଣା ପଛର କାରଣ ଖୋଜୁଛି ମୁମ୍ବାଇ ପୁଲିସ ।

ଅଧିକ ସମୟ ବିଶ୍ରାମ ନେବେ ବିମାନ ଚାଳକ
ଦେଶରେ ବିମାନ ଚାଳକଙ୍କ କାର୍ଯ୍ୟ କରିବାର ସମୟକୁ ବଦଳାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି। ଯାହାର ଅର୍ଥ ହେଉଛି ବିମାନ ଚାଳକଙ୍କୁ ବିଶ୍ରାମ କରିବା ଲାଗି ପୂର୍ବ ଅପେକ୍ଷା ଆହୁରି ଅଧିକ ସମୟ ମିଳିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖରେ ନୂତନ ବିମାନ ଉଡ଼ାଣ ଡ୍ୟୁଟି ନିୟମ ପ୍ରଣୟନ କରାଯାଇଛି। ଯେଉଁଥିରେ ବିମାନ ଚାଳକଙ୍କ ପାଇଁ ସାପ୍ତାହିକ ବିଶ୍ରାମ ସମୟ ସପ୍ତାହକୁ ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହା ସହିତ ବିମାନ ଚାଳକଙ୍କ ଦ୍ୱାରା ଗୋଟିଏ ଦିନରେ ସର୍ବାଧିକ ଅବତରଣ ସମୟ ୨ ଘଣ୍ଟାକୁ ହ୍ରାସ କରାଯାଇଛି। 

ଆସନ ବୁଝାମଣାକୁ ନେଇ ବିରୋଧିଙ୍କ ଆଲୋଚନା ଜାରି
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ପାଖେଇ ଆସିଲାଣି ସମୟ। ନିର୍ବାଚନକୁ ଆଉ କିଛି ମାସ ସମୟ ବାକି ରହିଥିବା ବେଳେ ବିରୋଧି ଇଣ୍ଡିଆ ମେଣ୍ଟରେ ଅଂଶୀଦାର ରହିଥିବା ଦଳଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ଜାରି ରହିଛି। ଏହି କ୍ରମରେ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ ସିଟ୍ ବାଣ୍ଟିବା ସମ୍ପର୍କରେ ନିଷ୍ପତ୍ତି ପ୍ରାୟ ହୋଇସାରିଛି। ରାଜ୍ୟର ସମସ୍ତ ୪୦ ଲୋକସଭା ଆସନକୁ ନେଇ ଶାସକ ଜେଡିୟୁ-ଆରଜେଡି ମଧ୍ୟରେ ଏକ ସହମତି ହୋଇଛି। ଜେଡିୟୁ-ଆରଜେଡି ସମାନ ସଂଖ୍ୟକ ୧୬ ଆସନରେ ନିର୍ବାଚନ ଲଢିବେ। କଂଗ୍ରେସ ୫ ଏବଂ ସିପିଆଇ (ଏମଏଲ) ୨ ଏବଂ ଅନ୍ୟ ଗୋଟିଏ ଆସନ ବାମ ଦଳକୁ ମିଳିବ।