Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1994892

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1- ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ୍‌ପିଏମ୍‌ ର ବାଜିମାତ ପରେ ମିଜୋରାମ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଲାଲଦୁହୋମା । ଗୋଆ କ୍ୟାଡର ପୂର୍ବତନ ଆଇପିଏସ୍‌ ଅଫିସର ଲାଲଦୁହୋମା ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ମୁଖ୍ୟ ଭାବେ ଦାୟିତ୍ବ ତୁଲାଇ‌ଥିଲେ। ଇନ୍ଦିରାଙ୍କ ମୃତ୍ୟୁ ବର୍ଷ ଲାଲଦୁହୋମା କଂଗ୍ରେସ ଟିକଟରେ ମିଜୋରାମରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ପିପୁଲ୍ସ କନଫରେନ୍ସ ପାର୍ଟି ପ୍ରାର୍ଥୀ ଲାଲମିଙ୍ଗଥଙ୍ଗାଙ୍କ ଠାରୁ ସେ ୮୪୬ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେହିବର୍ଷ ସେ କଂଗ୍ରେସ ଟିକଟରେ ଲୋକସଭାକୁ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

2- ବାତ୍ୟା ମିଗଜୋମ୍ ପ୍ରଭାବରେ ସୋମବାର ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷାରେ ଚେନ୍ନାଇ ଉବୁଟୁବୁ ହେଉଥିବା ବେଳେ ଉତ୍ତର ତାମିଲନାଡୁରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି । ବର୍ଷା ବିତ୍ପାତରେ ଚେନ୍ନାଇରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚେନ୍ନାଇ ଓ ପଣ୍ତିଚେରୀରେ ପ୍ରବଳ ବର୍ଷା ଜାରି ରହିଥିବାରୁ ମଙ୍ଗଳବାର ତାମିଲନାଡୁର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅଫିସକୁ ଛୁଟି ଘୋଷଣା କରାଯାଇଛି ।

3- ବୁଧବାର ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ଯୋଗ ଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ସଂପର୍କରେ ସେ ଅବଗତ ନାହାନ୍ତି। ଏଥିପାଇଁ ମୁଁ ଉତ୍ତର ବଙ୍ଗରେ ପୂର୍ବରୁ ଏକ ବୈଠକ ରଖିଛି। ସେଠାରେ ମୋର ୭ ଦିନିଆ କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆ ମେଣ୍ଟର ବୈଠକ ସଂପର୍କରେ ପୂର୍ବରୁ ଯଦି ଜାଣିଥାନ୍ତି ତାହେଲେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥାନ୍ତି। ମେଣ୍ଟ ବୈଠକକୁ ନିଶ୍ଚିତ ଯାଇଥାନ୍ତି। କିନ୍ତୁ ଯେହେ‌ତୁ ମୋ’ ପାଖରେ କୌଣସି ସୂଚନା ନାହିଁ ତେଣୁ ମୁଁ ଉତ୍ତର ବଙ୍ଗ ଗସ୍ତରେ ଯାଉଛି ବୋଲି ମମତା କହିଛନ୍ତି।

4- ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ପ୍ରଭାବରେ ଆସନ୍ତା ୨ ଦିନ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଖାସ୍ କରି ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହା ବ୍ୟତୀତ ପୁରୀ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର ଓ ଜଗତସିଂହପୁର ଜିଲ୍ଲାରେ ହାଲୁକା ମଧ୍ଯମ ଧରଣର ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି ।

5- ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୬ ଦିନ ଧରି ମହାଯଜ୍ଞ ସହ ଚାରି ବେଦପାଠର ଆୟୋଜନ କରାଯାଇଛି। ଐଶାନ୍ୟକୋଣରେ ମହାଯଜ୍ଞର ଆୟୋଜନ ପାଇଁ ସ୍ଥିର ହୋଇଛି। ଏଣୁ ଆଜି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୀମନ୍ଦିର ଇଂଜିନିୟରମାନେ ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାଯଜ୍ଞରେ ସାମିଲ୍‌ ହେବାକୁ ଥିବା ବ୍ରାହ୍ମଣମାନଙ୍କୁ ନେଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ବିସ୍ତୃତ ଆଲୋଚନା କରିଛନ୍ତି।

6- ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲାଯିବା‌ ସହ ବାତ୍ୟା ସମ୍ପର୍କରେ ପୂର୍ବ ପ୍ରସ୍ତୁତି ହୋଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ୬୦ଟି ଟ୍ରେନ୍ ବାତିଲ ହୋଇଛି। ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ୍ ଓ ଅନ୍ୟ ଜୋନରୁ ଆସୁଥିବା ଟ୍ରେନ୍‌ କୁ ମଧ୍ୟ ବାତିଲ କରାଯାଇଛି।

7- ପୁରୀ ଶ୍ରୀମନ୍ଦିର ନାଟ ମଣ୍ତପ ମରାମତି କାର୍ଯ୍ୟର ରିପୋର୍ଟ ସୋମବାର ଦିନ ଆମିକସ୍ କ୍ୟୁରି ହାଇକୋର୍ଟରେ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ଗତ ନଭେମ୍ବର ୧୭ରୁ ନାଟମଣ୍ତପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଆମିକସ୍ କ୍ୟୁରି ଉକ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ତେବେ ଖଣ୍ତପୀଠର ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ଡିସେମ୍ବର ୧୮ ତାରିଖରୁ ଧାର୍ଯ୍ୟ କରିଛନ୍ତି ।

8- ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ ତଥା ପଢୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରର ଜ୍ୟେଷ୍ଠ ମାନଙ୍କୁ ପଢୁଆଁ କରାଯାଇଥାଏ। ହଳଦୀ ପତ୍ର ପିଠା ଭୋଗ ହେବା ସହ ବଡ଼ ସନ୍ତାନଙ୍କୁ ଦୂବ, ଚାଉଳ ଦେଇ ବନ୍ଦାପନା କରାଯାଇଥାଏ। ଦେବଦେବୀଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଚଳିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ।

9- ଆଇପିଏଲ୍‌ ୨୦୨୪ ପାଇଁ ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଦୁବାଇରେ ହେବ । ଏଥର ନିଲାମୀ ପାଇଁ ପାଖାପାଖି ୧୧୬୬ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । ଏଥିରେ ଲକ୍ଷରୁ କୋଟି ପର୍ଯ୍ୟନ୍ତ ଖେଳାଳିଙ୍କ ବେସ୍‌ ପ୍ରାଇସ ରହିଛି । କୌଣସି ବି ଖେଳାଳିଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷରୁ ୨ କୋଟି ଯାଏଁ ହୋଇପାରିବ । ଏମିତିରେ ବହୁତ କମ୍‌ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ବେସ୍‌ ପ୍ରାଇସ ୨ କୋଟି ଟଙ୍କା ରହିଛି ।

10- ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।