Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2035363

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

1- Ayodhya Railway Station: ଅଯୋଧ୍ୟା ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ଜାନୁଆରିରେ ଅନୁ‌ଷ୍ଠିତ ହେବ । ଏନେଇ ଦେଶ ବିଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ରେଳ ଷ୍ଟେସନକୁ ଅଯୋଧ୍ୟା ଧାମ ଜଙ୍କସନ୍ ନାମରେ ପୁନଃବିକଶିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏହି ଅତ୍ୟାଧୁନିତ ରେଳ ଷ୍ଟେସନକୁ ଉଦ୍ଦଘାଟନ କରିବେ । ଏହାସହ ପ୍ରଧାନମନ୍ତ୍ରୀ ଅମୃତ ଭାରତ ସୁପରଫାଷ୍ଟ ପାସେଞ୍ଜର ଟ୍ରେନ୍ ର ମଧ୍ଯ ଶୁଭାରମ୍ଭ କରିବେ ।

2- Nitish kumar: ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତୃତ୍ବରେ ଶୁକ୍ରବାର ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ କାର୍ଯ୍ୟକାରିଣୀରେ ଦଳର ଅଧ୍ଯକ୍ଷ ପଦରୁ ରାଜୀବ ରଞ୍ଜନ ଓରଫ ଲଲନ ସିଂ ଇସ୍ତଫା ଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନୂଆ ଅଧ୍ଯକ୍ଷ କରାଯାଇଛି । ଜେଡିୟୁର ନେତୃତ୍ବ ପରିବର୍ତ୍ତନ ନେଇ ସପ୍ତାହେ ହେଲା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ମଧ୍ଯ ଦଳୀୟ ନେତାମାନେ ତାହାକୁ ଖଣ୍ତନ କରିଆସୁଥିଲେ ।

3-Covid19: କୋଭିଡ଼ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ଯରେ ଦେଶରେ ୭୯୭ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଗତ ୨୨୫ ଦିନରେ ସର୍ବାଧିକ ଅଟେ । ଏହାକୁ ମିଶାଇ ସକ୍ରିୟ ମାମଲା ସଂଖ୍ୟା ୪,୦୯୧ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହାସହ ୨୪ ଘଣ୍ଟାରେ ୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ୍ ସବ୍ ଭାରିଆଣ୍ଟ ‘ଜେଏନ୍ ଡଟ୍ ୱାନ’ରେ  ସଂକ୍ରମିତ ହୋଇଥିବା ସୂଚନା ରହିଛି । 

4- Odisha's Pragyapana Medha: ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ। ଲଗାତାର ତିନି ବର୍ଷ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିବାବେ‌ଳେ ଏଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମହିଳା ସଶକ୍ତୀକରଣ ବିଷୟ ଆଧାରିତ ରଘୁରାଜପୁର ପଟ୍ଟଚିତ୍ରକୁ ଦର୍ଶାଇବ। ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ଓଡ଼ିଶା ଦ୍ବାରା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ର ବିଶେଷଜ୍ଞ କମିଟି ନିକଟରେ- ରଘୁରାଜପୁର ପଟ୍ଟଚିତ୍ର ଜରିଆରେ ମହିଳା ସଶକ୍ତୀକରଣ, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍ ଓ ମିଲେଟ୍‌ ମିସନ ଭଳି ତିନିଟି ବିଷୟକୁ ଦାଖଲ କରାଯାଇଥିଲା।

5- BSKY Nabin Card: ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟବୀମା ପରିସରଭୁକ୍ତ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ର ତୃତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ଯେଉଁମାନେ ବର୍ତ୍ତମାନ ବିଏସ୍‌କେୱାଇ ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ । ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜୀକୃତ ଘରୋଇ ହସ୍‌ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡ଼ିକର ଚିକିତ୍ସା ସୁବିଧା ସେମାନଙ୍କୁ ମିଳିବ। ଏହି ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରିବେ।

6- AC corridor for Puri temple: ନବବର୍ଷପାଇଁ ଏବେଠାରୁ ଶ୍ରୀକ୍ଷେତ୍ର ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାନି । ତେବେ ନୂଆ ବର୍ଷର ପ୍ରଥମ ଦିନରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ନୂଆବର୍ଷରୁ ଭକ୍ତ ଓ ପର୍ଯ୍ୟଟକ ପାଇଁ ଖୋଲିବ ଏସି ଶେଡ଼ ପାଥ୍ । ଶ୍ରଦ୍ଧାଳୁ ମାନେ ଏଥିରେ ପ୍ରବେଶ କରି ନୂଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କରିବେ ।

7-Chief secretary tenure extended: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିଥାନ୍ତା । ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ପାୱାର କରିଡ଼ରେ ଚର୍ଚ୍ଚା ଲାଗିରହିଥିବା ବେଳେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ସରକରା । ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ । ଅର୍ଥାତ୍ ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ପଦରେ ରହିବେ ପ୍ରଦୀପ ଜେନା ।

8- Srimandir Parikrama Project Invitation: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଉତ୍ସବ ପାଇଁ ବିଭିନ୍ନ ମନ୍ଦିରକୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣ କାରୀ ଦଳ ଶୁକ୍ରବାର ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେହିପରି ଜମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟୱଡା ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣା ର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

9- Weather Update: କମିଛି ଥଣ୍ତା ବଢିଛି କୁହୁଡି଼ । ରାଜ୍ୟରେ ଗତ କିଛି ଦିନ ହେବ ଶୀତ କମିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଶୀତ କମିବା ସହିତ ରାଜ୍ୟରେ ଘନ କୁହୁଡି ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।  ଶନିବାର ପୁରୀ, ଖୋର୍ଧା, କଟକ, ଜଗତସିଂହପୁର,ନୟାଗଡ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

10- First ADM OF Padampur: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେବା  ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବେ ୨୦୨୦ ବ୍ଯାଚର IAS ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ଉପଖଣ୍ଡ ଅଟେ । ପଦ୍ମପୁରର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ମଜଭୁତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। ଶ୍ରୀ ମୋତିରାମ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟରତ।