Top 10 News Today: ନବୀନ ସରକାରଙ୍କ ଉପରେ ବର୍ଷିଲେ ଶାହ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2249400

Top 10 News Today: ନବୀନ ସରକାରଙ୍କ ଉପରେ ବର୍ଷିଲେ ଶାହ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ନବୀନ ସରକାରଙ୍କ ଉପରେ ବର୍ଷିଲେ ଶାହ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସୋରଡ଼ା ଅଭିମୁଖେ ଯାତ୍ରା କରିଥିଲେ । ସୋରଡ଼ାରେ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶାହ । ମୋଦି ସରକାର ଦେଉଥିବା ଚାଉଳରେ ନିଜ ଫଟୋ ଛାପି ରାଜ୍ୟ ସରକାର ନିଜେ ଚାଉଳ ଦେଉଛନ୍ତି ବେଲି ଶାହ କହିଛନ୍ତି । ଧାନ ବିକ୍ରୀ, ଶ୍ରୀମନ୍ଦିର ପ୍ରସଙ୍ଗ ନକ୍ସଲ ଦମନ, ଆୟୁଷ୍ମାନ ଯୋଜନା ସମ୍ପର୍କରେ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ସହ କହିଥିଲେ ଯେ, ନବୀନ ସରକାର ଠେଲା ସରକାର । ଆଉ ଏ ସରକାର ଆସିବାର ନାହିଁ ଏବେ ଲୋକେ ବିଜେପି ସରକାର ଗଠନ କରିବେ ।

02- ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭାରେ ଯୋଗଦେବେ । ମେ ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ ।
୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା କରିବେ । ସେମଧ୍ୟରେ ରହିଛି ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରି । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୧୬ ଏବଂ ୧୭ ତାରିଖରେ ମାରାଥନ ପ୍ରଚାର କରିବେ । ପ୍ରଥମ ଦିନ ବ୍ରଜରାଜନଗର, ବଣାଇ, ଅତାବିରା, ଜଟଣୀରେ ସଭା ଥିବା ସମୟରେ ପରଦିନ କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସଭାରେ ଯୋଗ ଦେବେ । ୨ଦିନରେ ମୋଟ ୯ଟି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

03- କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବଲାଙ୍ଗିରରେ ଜନସଭାକୁ ସମ୍ୱୋଧନ କରିଛନ୍ତି । ବକ୍ତବ୍ୟ ଦେଇ ରାହୁଲ ଅନେକ ପ୍ରତିଶୃତି ଅଜାଡି ଦେଇଛନ୍ତି । ରାହୁଲ କହିଛନ୍ତି ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଯେ, ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ରାହୁଲ କହିଛନ୍ତି । ଏଥିସହ ରାହୁଲ କହିଛନ୍ତି ଯେ, ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ । ସବୁ ବର୍ଗଙ୍କ ଗଣତି କରାଯିବ । ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ । ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବା ସହ ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ରାହୁଲ ବଲାଙ୍ଗିରରେ କହିଛନ୍ତି ।

04- ବଲାଙ୍ଗିରରେ ସମ୍ୱୋଧନ କରିବା ସମୟରେ କେବଳ କେନ୍ଦ୍ର ସରକାରଙ୍କୁ ଚାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଜ୍ୟ ସରକାରଙ୍କ ନାମରେ ପଦେ ହେଲେ ବି କିଛି କହିନାହାନ୍ତି । ମୁଖ୍ୟମନ୍ତ୍ରୀ କିମ୍ୱା ବିଜେଡିର ନାମ ମଧ୍ୟ ଧରିନାହାନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ବକ୍ତବ୍ୟରେ କେବଳ ବିଜେପି ଉପରେ ବର୍ଷିଥିଲେ ରାହୁଲ ।

05- ମେ ୧୭ ତାରିଖ ଦିନ ଓଡ଼ିଶା ଆସିବେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ । ମୋଟ ୩ଟି ସ୍ଥାନରେ ଅନୁଷ୍ଠିତ ହେଉଥିବା ସାଧାରଣ ସଭାରେ ଯୋଗଦେବା ସହ ବିଜେପି ପାଇଁ ପ୍ରଚାର କରିବେ । ଏନେଇ ଆଜି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ହେମାମାଳିନୀ ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲି ସଭାରେ ଯୋଗ ଦେବେ ବୋଲି ଜଣାପଡିଛି ।

06-  ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବାଲେଶ୍ୱର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନ କରି ରାଜ୍ୟ ସରକାର କିଛି କରିପାରିନାହାନ୍ତି । ତେଣୁ ଏଥର ସବୁ ଲୋକସଭା ଆସନ ବିଜେପି ଜିତିବ ।

07- ପିପିଲି ସାକ୍ଷୀଗୋପାଳ ମନ୍ଦିରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କିଛି ଅଣସେବାୟତ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ବରିଷ୍ଠ ସେବାୟତଙ୍କ ନାମ କିଶୋର ଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ସୂଚନା ମୁତାବକ, ଗତକାଲି ସେବାୟତଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମନ୍ଦିର ସମ୍ପର୍କିତ କଥା ଆଲୋଚନା ହେଉଥିବା ସମୟରେ ସଂଘ ଦ୍ୱାରା ପରିଚାଳିତ ବେଆଇନ୍ କାମକୁ ନେଇ ଅଭିଯୋଗ ଉଠିଥିଲା । ସେବାୟତ ସଂଘର ସଭାପତି ଓ ସଂପାଦକ ଆଲୋଚନା କରିବା ବେଳେ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କିର୍ତ୍ତିରଞ୍ଜନ ମହାପାତ୍ର ନାମକ ଦୁଇ ବ୍ରାହ୍ମଣ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିକଟରୁ ବିଭିନ୍ନ ଉପାୟରେ ଅଣ ପୂଜକ କୃଷ୍ଣଚନ୍ଦ୍ର ଏବଂ କିର୍ତ୍ତିରଞ୍ଜନ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି । ତେବେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

08-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଏବଂ ଦେବଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି । ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ଖୁବ କମ୍‍ କଥାରେ ନିଜର ବକ୍ତବ୍ୟ ରଖିବା ସହ ରାଜ୍ୟ ସରକାରଙ୍କ ଯୋଜନା ଏବଂ ପଦକ୍ଷପ ବିଷୟରେ ଲୋକଙ୍କୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଅନ୍ୟପଟେ ଭିକେ ପାଣ୍ଡିଆନ ନିଜ ବକ୍ତବ୍ୟରେ ବିଜେପିକୁ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଥିଲା ।

09- ଅସୁସ୍ଥତା କାରଣରୁ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଖୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ରାଖୀ ହୃଦଘାତର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ରାଖି ସାୱନ୍ତଙ୍କୁ ବର୍ତ୍ତମାନ ଜୁହୁର 'କ୍ରିଟି କେୟାର ହସ୍ପିଟାଲ'ର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ରାଖୀଙ୍କର ପ୍ରକୃତରେ କଣ ହେଇଛି ତାହା ମେଡିକାଲ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ରାଖୀ ହସ୍ପିଟାଲରେ ଆଡମିଟ୍ ହୋଇ ରହିବେ ବୋଲି କୁହାଯାଉଛି ।

10- ରାଜ୍ୟରେ ବର୍ତ୍ତମାନ କାଳବୈଶାଖି ଜାରି ରହିଥିବା ବେଳେ ଆହୁରି ୨ ଦିନ କାଳ ବୈଶାଖି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଜି ବିଶେଷକରି, କୋରାପୁଟ୍, ରାୟଗଡା, ଗଜପତି , ଗଂଜାମ, ନୟାଗଡ, କେନ୍ଦ୍ରାପଡା,ଯାଜପୁର, ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ମଙ୍ଗଳବାର ରାଜ୍ୟରେ ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା।  

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ