Top 10 News Today: ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2237229

Top 10 News Today: ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 News Today: ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ କାଉଣ୍ଟର ଜବାବ ଦେଲେ ମୁଖ୍ୟମନ୍ତ୍ରୀ । ପଢନ୍ତୁ ଦିନଯାକର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 News Today: 

01- ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି ମୋଦି । ନବରଙ୍ଗପୁରରେ ଓଡ଼ିଆରେ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଇ ଆପଣଙ୍କ କଷ୍ଟ ବୃଥା ଯିବନି କହିଲେ ପ୍ରଧାନମନ୍ତ୍ରୀ। ମଞ୍ଚରେ ବିଜେପି ସମର୍ଥିତ ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି। ଏହାପରେ ମଞ୍ଚରୁ ବିଜେଡିକୁ ଟାର୍ଗେଟ କରି କହିଥିଲେ ଯେ, 'ଚଳିତ ଥର ବିଜେଡି ଯିବ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପିର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବ । ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ, ଯିଏ ଲୋକଙ୍କୁ ବୁଝୁଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ ବୋଲି କହିଛନ୍ତି ମୋଦି'। 

02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ପରେ କାଉଣ୍ଟର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ଜରିଆରେ ନିଜର ମନ୍ତବ୍ୟ ରଖି ନବୀନ କହିଛନ୍ତି ଯେ, ବିଜେପି ବହୁତ ଦିନ ହେଲା ଦିନରେ ସ୍ୱପ୍ନ ଦେଖୁଛି ।

03- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡିଆଳରୁ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସମୟରେ କାଳବୈଶାଖୀ ବର୍ଷା ପବନ ହୋଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଏବଂ ଭିକେ ପାଣ୍ଡିଆନ ବସିଥିବା ହେଲିକପ୍ଟରଟି ଭୁବନେଶ୍ୱରରେ ଅବତରଣ କରିପାରିନଥିଲା । ହେଲିକପ୍ଟରଟି ଝାରସୁଗୁଡା ଅଭିମୁଖେ ଉଡାଣ ଭରି ସେଠାରେ ଜରୁରିକାଳୀନ ଅବତରଣ କରିଥିଲା ।

04- ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷିବା ସହ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଖବର ଅନୁଯାୟୀ, ମୃତ ଛାତ୍ରଙ୍କ ନାମ ନବଜିତ ସିଦ୍ଧୁ ହୋଇଥିବାବେଳେ ତାଙ୍କ ବୟସ ମାତ୍ର ୨୨ ବର୍ଷ । ନବଜିତ କରନାଲର ବାସିନ୍ଦା ବୋଲି ସୂଚନା ମିଳିଛି । ଅଷ୍ଟ୍ରେଲିଆରେ ରହି ସେ ଏମଟେକ ପଢୁଥିଲେ । ଗତ ରବିବାର ଦିନ ନବଜିତଙ୍କର ସହପାଠୀମାନଙ୍କ ସହ ଝଗଡା ହୋଇଥିଲା । ଝଗଡା ଅଧିକ ଉଗ୍ର ରୂପ ନେବା ପରେ ଉତ୍ୟକ୍ତ ହୋଇ ଅନ୍ୟ ସହପାଠୀ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ନବଜିତଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ କିଛି ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଝଗଡାର କାରଣ ଭଡା ଟଙ୍କା ବୋଲି କୁହାଯାଉଛି । 

05-  ଝାଡ଼ଖଣ୍ଡରେ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଆଜି ଇଡି ଟିମ୍ କୋଟି କୋଟି ଟଙ୍କା ଜବତ କରିଛି। ସକାଳ ସମୟରେ ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରେ ଚଢାଉ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଇଡି ଅଧିକାରୀମାନେ ସଞ୍ଜୀବ ଲାଲଙ୍କ ଘରେ ଚଢାଉ କରିଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏହାକୁ କଳା ଟଙ୍କା ବୋଲି ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଚଢାଉ ଜାରି ରହିଛି। ଇଡି ଅଧିକାରୀ ସଞ୍ଜୀବ ଲାଲଙ୍କ ସେବକଙ୍କୁ ପଚରାଉଚରା କରୁଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ବ୍ୟକ୍ତିଗତ ଦଲିଲକୁ ମଧ୍ୟ ଯାଞ୍ଚ କରୁଛି ଇଡ଼ି। ରାଞ୍ଚିର ସେଲ୍ ସିଟି ସମେତ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। 

06- କାଳବୈଶାଖୀ ସମୟରେ ବଜ୍ରପାତ କାରଣରୁ ଜଳିଗଲେ ୨୨ଟି ଛେଳି । ଏପରି ଏକ ଅଘଟଣ ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ରତ୍ନପୁର ଗାଁରେ । ଏକା ସାଙ୍ଗରେ ଏତେମାତ୍ରାରେ ଛେଳି ବଜ୍ରପାତ କାରଣରୁ ଜୀବନ ହରାଇବା କାରଣରୁ ଛେଳି ମାଲିକ ଏବେ ଚିନ୍ତାରେ । ଆଜି ଅପରାହ୍ମ ସମୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ପବନ ସହିତ ବର୍ଷା ଏବଂ ବଜ୍ରପାତ ହୋଇଥିଲା । ଅନେକ ସ୍ଥାନରେ ବିଶାଳ ଗଛ ଗୁଡିକ ରାସ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ଛିଡି ପଡିଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । କିନ୍ତୁ ବର୍ଷା ହେବା କାରଣରୁ ଗରମରୁ ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ପଟିଗୁଡ଼ା ଗାଁରେ ବଜ୍ରାଘାତରେ ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

07- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ । ଭବାନୀପାଟଣାରେ ନିର୍ବାଚନ ସଭାକୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦଳର ସଭାପତି ଭାବେ ସେ ବିରୋଧୀ ଦଳକୁ ସମାନ ଦୁଇଟି ଶବ୍ଦରେ ସମାଲୋଚନା କରିଛନ୍ତି। କୋରାପୁଟ ଗସ୍ତ ସମୟରେ  ଯାହା କହିଥିଲେ ତାହାର ପୁନରାବୃତ୍ତି କରିଛନ୍ତି। ସେ କହିଛନ୍ତି ‘ ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କରୁଛନ୍ତି’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ଭାଷଣରେ ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି କିନ୍ତୁ ତାଙ୍କ ନାଁ କହିପାରି ନାହାନ୍ତି।

08- ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ। ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ପଇତା ଲାଗି କରାଯାଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତସେବା କରାଯାଇଥିଲା । ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ଥିଲା ।

09-  ଆଜି ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥକାଠ। ଆସିକା ବନଖଣ୍ତରୁ ଏହି କାଠ ଆସି ପହଞ୍ଚିଥିବା ନେଇ ରଥ ତତ୍ତ୍ବାବଧାରକ ସୂଚନା ଦେଇଛନ୍ତି। ୧୪ଟି  ଫାଶୀ କାଠ ଆସି ଆସିକା ବନଖଣ୍ତରି ରଥଖଳାରେ ପହଞ୍ଚିଛି।  ରଥ ପାଇଁ ୫୦ ଟି ଫାଶି କାଠର ଆବଶ୍ୟକତା ଥିବା ବେଳେ ଆଗକୁ ମଧ୍ୟ ଏହି କାଠ ଆସି ପହଞ୍ଚିବ।  ୬ ଗୋଟି ଗୋଲେଇ ବିଶିଷ୍ଟ ଏହି ଫାଶୀ କାଠରେ ରଥର ତୁମ୍ଭ ନିର୍ମାଣ କରାଯିବ। ଏହା ବ୍ୟତିତ ଫାଶୀ କାଠରେ ରଥର ଅର ଓ ପହି ମଧ୍ୟ ନିର୍ମାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ। ଚଳିତ ମାସ୧୦ ତାରିଖରେ ଅର୍ଥାତ୍ ଅକ୍ଷୟ ପୂର୍ଣ୍ଣିମା ଦିନ ରଥକାଠ ଅନୁକୂଳ ହେବ।  ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁ ଚାପ ଖେଳିବେ। ଏହି ଦୃଶ୍ୟ ଅତ୍ୟନ୍ତ ମନଲୋଭା। ତେବେ, ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି।

10- ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ (ମଙ୍ଗଳବାର) ୭ ତାରିଖ ପରଠାରୁ ବର୍ଷାର ପରିମାଣ ବଢିପାରେ। ଏବଂ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଗାମୀ ମେ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି।

Also Read- Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Also Read- Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !