ଓଡ଼ିଶା ସରକାରଙ୍କ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ହେବ ସଂଶୋଧନ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ
Advertisement
Article Detail0/zeeodisha/odisha2036603

ଓଡ଼ିଶା ସରକାରଙ୍କ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ହେବ ସଂଶୋଧନ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଓଡ଼ିଶା ସରକାରଙ୍କ ୬୯ତମ କ୍ୟାବିନେଟ୍‍ ବୈଠକ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ୧୦ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଓଡ଼ିଶା ସରକାରଙ୍କ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ହେବ ସଂଶୋଧନ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

Odisha News: ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୬୯ତମ କ୍ୟାବିନେଟ୍‍ ବୈଠକ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ୧୦ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ୧୩ଟି ପ୍ରସ୍ତାବରୁ ୬ଟି ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀ ଲାଗି ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି। 

ପ୍ରଥମେ ଓଡ଼ିଶା ଅବକାରୀ ସହକାରୀ ସବ୍‍ଇନ୍‍ସପେକ୍ଟର ନିଯୁକ୍ତି ନିୟମ ୨୦୨୩ ରେ ସଂଶୋଧନ କରାଯିବ। ଏଥିଲାଗି ଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିବା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେହିଭଳି ଓଡ଼ିଶା ପ୍ରଶାସନିକ ସେବା ନିୟମରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁସାରେ ଅର୍ଥାତ୍‍ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପ୍ରଅକ୍ରିୟାରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୩୮ ରହିବ।  ଗତବର୍ଷ ୩୨ରୁ ୩୮ବର୍ଷ ବୟସ ସୀମାକୁ ନିଯୁକ୍ତି ପାଇଁ ଧାର୍ଯ୍ୟ କରାଯାଇଥିଲା।  
 
ଓଡ଼ିଶା ଅଗ୍ନିଶମ ସେବା ଗ୍ରୁପ୍‍ ସି ନିଯୁକ୍ତି ନିୟମାବଳୀ-୨୦୨୧ରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ଭାଇଭା ପରେ ଫିଜିକାଲ୍‍ ଫିଟନେସ ପାଇଁ ତିନିଗୁଣା ପ୍ରାର୍ଥୀଙ୍କୁ ଡକାଯାଉଥିଲା। ଏବେ ଶାରୀରିକ ଦକ୍ଷତା ଯାଞ୍ଚ ଲାଗି ତିନିଗୁଣା ସ୍ଥାନରେ ୭ ଗୁଣା ପ୍ରାର୍ଥୀଙ୍କୁ ଡକାଯିବ।  ଏହାଦ୍ୱାରା ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳିପାରିବେ ବୋଲି ସରକାର ଆଶା ରଖିଛନ୍ତି। ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ଟେକ୍ନିକାଲ ଓ ଅଣ ଟେକ୍ନିକାଲ୍‍ ସେବା ନିଯୁକ୍ତି ନିୟମାବଳୀ, ଓଡ଼ିଶା ଶିଳ୍ପ ବିଭାଗରେ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। 

ଏହା ସହ ଦୁଇଟି ବିଭାଗରେ ପଦବୀ ପୁନଃବିନ୍ୟାସ କରାଯାଇଛି। ପ୍ରଥମଟି ହେଲା ଟ୍ରଜରୀ ଜିଲ୍ଲା ମିନିଷ୍ଟରିଆଲ୍‍ କ୍ୟାଡରର ପୁନଃ ବିନ୍ୟାସ କରାଯାଇଛି। ଏହାଦ୍ୱାରା ପଦୋନ୍ନତି ପାଇଁ ସୁଯୋଗ ମିଳିବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ଓ ଗ୍ରାମାଞ୍ଚଳରେ ଚାଲୁଥିବା ପାଇପ ଜଳ ଯୋଗାଣର ଆବଶ୍ୟକତାକୁ ଲକ୍ଷ୍ୟ ରଖି ୩୬୫ଟି ଜୁନିୟର ଇଜିନିୟର, ୯୧ଟି ଏସ୍‍ଡିଓ ପଦବୀ ସୃଷ୍ଟି ଲାଗି କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ୍‍କୁ ୫ ଏକର ଜମିକୁ ବିନା ପ୍ରିମିୟମରେ ପ୍ରଦାନ ପାଇଁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପବ୍ଲିକ୍‍ ହେଲ୍ଥ ସ୍ଥାପନ ହେବ। 

ମୋ ବସ୍‍ ସେବା ଉଦ୍ଦେଶ୍ୟରେ ପାଇଁ ୨୦୦ ନୂଆ ଇଲେକ୍ଟ୍ରିକ୍‍ ବସ୍‍ ଚାଳନା ପାଇଁ ୧୦ ବର୍ଷ ଲାଗି ଜେବିଏମ୍‍ ଇକୋଲଏଡ୍‍କୁ  ଦାୟିତ୍ୱ ଦିଆଯାଇଛି।  ୯୩୩.୨୬ କୋଟି ଟଙ୍କାର ଟେଣ୍ଡର ଏହାଦ୍‍ୱାରା କ୍ୟାବିନେଟ ଅନୁମୋଦନ ଲାଭ କରିଛି।  ୧୧୦ ସହରାଞ୍ଚଳରେ ଏଲ୍‍ଇଡି ଲାଇଟ୍‍ ଲଗାଇବା, ରକ୍ଷଣାବେକ୍ଷଣ ଲାଗି ଟେଣ୍ଡର ଅନୁମୋଦିତ ହୋଇଛି। ୩୧୨.୧୮ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେବ। ପୂର୍ତ୍ତ ବିଭାଗର ଏଜେଣ୍ଡା ଅନୁସାରେ ଟମ୍‍କା-ମଙ୍ଗଳପୁର ରାସ୍ତାକୁ ୪ ଥାକିଆ କରିବା ଲାଗି ଥିବା ଟେଣ୍ଡରକୁ ବାତିଲ କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗ୍ରାମାଞ୍ଚଳ ସ୍ତରରେ ଜନସାଧାରଣଙ୍କୁ ସାମିଲ୍‍ ପାଇଁ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏହା ସହ ଗ୍ରାମ ପଞ୍ଚାୟତସ୍ତରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି।