Sambalpur Dhanu Jatra: ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସ; କଂସ ମହାରାଜଙ୍କ ମଥୁରା ଭ୍ରମଣ, ଶ୍ରୀକୃଷ୍ଣ ଜନ୍ମ ଏବଂ ଗୋପପୁର ପ୍ରେରଣ
Advertisement
Article Detail0/zeeodisha/odisha2146896

Sambalpur Dhanu Jatra: ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସ; କଂସ ମହାରାଜଙ୍କ ମଥୁରା ଭ୍ରମଣ, ଶ୍ରୀକୃଷ୍ଣ ଜନ୍ମ ଏବଂ ଗୋପପୁର ପ୍ରେରଣ

Sambalpur Dhanu Jatra 2024: ଚଳିତ ବର୍ଷ ଆୟୋଜିତ ହୋଇଥିବା ସମ୍ବଲପୁରୀ ଧନୁ ଯାତ୍ରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ କଂସ ମହାରାଜ ମଥୁରା ଭ୍ରମଣ କରିଛନ୍ତି।

Sambalpur Dhanu Jatra: ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସ; କଂସ ମହାରାଜଙ୍କ ମଥୁରା ଭ୍ରମଣ, ଶ୍ରୀକୃଷ୍ଣ ଜନ୍ମ ଏବଂ ଗୋପପୁର ପ୍ରେରଣ

Sambalpur Dhanu Jatra Second Day: ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପୀ ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଙ୍ଗ ସଭାରେ ଗୀତ ସଙ୍ଗୀତ ସହ ସମ୍ବଲପୁରୀ ନାଚ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।

ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଏବଂ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରରେ ପହଞ୍ଚି ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ  ଏବଂ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ଅପୂର୍ବ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପ୍ରାରମ୍ଭରେ କମିଟି ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁରୀ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରଫୁଲ୍ଲ କୁମାର ହୋତା ପ୍ରଦୀପ ପ୍ରଜ୍ଜଳନ କରି ଦ୍ୱିତୀୟ ଦିବସକୁ ଉଦଘାଟନ କରି ଭାଷା ସଂସ୍କୃତିର ପରମ୍ପରାକୁ ପୁନଃର୍ଜୀବିତ କରିବା ନେଇ ୧୮ ଶହ ବର୍ଷ ତଳର ସମ୍ବଲପୁରୀ ଭାଷା ବାବଦ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ। 

ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଉଦଘାଟନୀ ସଭାକୁ ଡାକ୍ତର ରାଜାରାମ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ସମ୍ପାଦକ ଗୁଣରଞ୍ଜନ ସାଲିମା ଧନ୍ୟବାଦ ଅର୍ପଣ କରିଥିଲେ। ଶୁକ୍ରବାର ପୁତନା ବଧ ସମାଚାର ସହିତ କୃଷ୍ଣ ବଧ ପାଇଁ ମନ୍ତ୍ରୀ ପରିଷଦ ସହ ମହାରାଜ କଂସଙ୍କ ଗୁପ୍ତ ମନ୍ତ୍ରଣା କାର୍ଯ୍ୟକ୍ରମ ରହିଛି। ସେହିପରି ଗୋପପୁରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ହୋଇଥିବା ଏହି ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମଥୁରାନଗରୀ ଏବଂ ଗୋପପୁରରେ ସହସ୍ରାଧିକ ନଗରବାସୀଙ୍କ ଉପସ୍ଥିତି ଏହି ଧନୁଯାତ୍ରା ପାଇଁ ଏକ ଶୁଭ ସୂଚନା ବୋଲି ନଗରବାସୀଙ୍କ ମଧ୍ୟରେ ଚର୍ଚା ଚାଲିଛି। ଗତକାଲି ମହାରାଜ କଂସ ମଥୁରା ନଗରୀ ପରିଭ୍ରମଣ ସମୟରେ ନଗରବାସୀ ବିପୁଳ ସମ୍ବର୍ଦ୍ଧନା ଦେଇଥିବା ବେଳେ ନଗର ବିକାଶରେ ସମସ୍ତ ମଥୁରାବାସୀଙ୍କ ଭାଗୀଦାରିତାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷ ପ୍ରଥମ ଥର ଲାଗି ସମ୍ବଲପୁରୀ ଧନୁ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ମାର୍ଚ୍ଚ ୬ ତାରିଖ ବୁଧବାର ଆରମ୍ଭ ହୋଇ ଆସନ୍ତା ୧୦ ତାରିଖରେ କଂସ ବଦ୍ଧ ପର୍ବରେ ଉଦଯାପିତ ହେବ। ସେଥିପାଇଁ ସମ୍ବଲପୁର ମ୍ୟୁନସିପାଲିଟି ଛକରେ ଥିବା ଗଙ୍ଗାଧର ମଣ୍ଡପ କଂସ ଦରବାର (ମଥୁରା ନଗରୀ) ଏବଂ ଚାଉଁରପୁର ଗ୍ରାମକୁ ଗୋପପୁର ଭାବେ ସଜ୍ଜାଯାଇଛି। ବୁଧବାର ସକାଳ ୧୦:୦୦ ସମୟରେ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ସୁସଜ୍ଜିତ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିରରୁ ବାହାରି ଗଙ୍ଗାଧର ମଣ୍ଡପରେ ପହଞ୍ଚିଲା। 

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲ। ଏହି ଅବସରରେ ମନ୍ତ୍ରୀ କହିଥିଲେ, ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଐତିହ୍ୟ ସମ୍ପୂର୍ଣ୍ଣ ପୌରାଣିକ ଧନୁଯାତ୍ରା ଉତ୍ସବ ଏକ ମହାନ ପରମ୍ପରାର ସ୍ମାରକୀ ହୋଇ ରହିବ। ଅନ୍ୟପଟେ କମିଟି ସଭାପତି ସଞ୍ଜୟ ବାବୁ ଧନୁଯାତ୍ରାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ଯ ସମ୍ପର୍କରେ କହିବା ସହ ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ଧନୁଯାତ୍ରା ସମ୍ବଲପୁର ସହରରେ ଏକ ନୂଆ ଇତିହାସ ରଚିଥିବା କହିଥିଲେ।