Lok Sabha Election 2024: ନିର୍ବାଚନ ମୈଦାନରେ ଏଆଇଏମଆଇଏମ; କାହାର ଭାଙ୍ଗିବ ଭୋଟ୍ ବ୍ୟାଙ୍କ?
Advertisement
Article Detail0/zeeodisha/odisha2146827

Lok Sabha Election 2024: ନିର୍ବାଚନ ମୈଦାନରେ ଏଆଇଏମଆଇଏମ; କାହାର ଭାଙ୍ଗିବ ଭୋଟ୍ ବ୍ୟାଙ୍କ?

2024 Indian General Election: କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟରେ ସାମିଲ ହୋଇନଥିବା ଏଆଇଏମଆଇଏମ ତେଲେଙ୍ଗାନା-ମହାରାଷ୍ଟ୍ର ବ୍ୟତୀତ ଉତ୍ତର ପ୍ରଦେଶ ଏବଂ ବିହାର ଆଦି ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ।

Lok Sabha Election 2024: ନିର୍ବାଚନ ମୈଦାନରେ ଏଆଇଏମଆଇଏମ; କାହାର ଭାଙ୍ଗିବ ଭୋଟ୍ ବ୍ୟାଙ୍କ?

AIMIM will Contest in Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ କାର୍ଯ୍ୟସୂଚୀ ଚଳିତ ମାସରେ ଘୋଷଣା କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଶାସକ ମେଣ୍ଟ ଏନଡିଏ ୪ ଶହରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ଏହାର ସହଯୋଗୀଙ୍କୁ ଏକାଠି ରଖିବା ପାଇଁ ସଂଘର୍ଷ କରୁଛି। ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡ଼ି) ଏବଂ ବିହାରରେ ଜନତା ଦଳ ୟୁନାଇଟେଡ୍ (ଜେଡ଼ିୟୁ) ଇଣ୍ଡିଆ ମେଣ୍ଟ ଛାଡ଼ି ସାରିଛନ୍ତି। ଉଭୟ ଜେଡ଼ିୟୁ-ଆରଏଲଡ଼ି ବିଜେପି ସହ ହାତ ମିଳାଇ ଏନଡିଏ ମେଣ୍ଟରେ ପ୍ରବେଶ କରିଛନ୍ତି। 

ବିରୋଧି ମେଣ୍ଟ ଇଣ୍ଡିଆ ପାଇଁ ପୂର୍ବରୁ କମ୍ ଚ୍ୟାଲେଞ୍ଜ୍ ଥିଲା। ହେଲେ ଏବେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ ୨୦୨୪ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଏଆଇଏମଆଇଏମ ୨୦୨୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର, ତେଲେଙ୍ଗାନା ସମେତ ଉତ୍ତର ପ୍ରଦେଶ-ବିହାର ଆଦି ରାଜ୍ୟର ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଆଇଏମଆଇଏମ, କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟରେ (ଇଣ୍ଡିଆ) ସାମିଲ ହୋଇନାହିଁ। ଏଭଳି ପରିସ୍ଥିତିରେ ଯେଉଁ ଆସନରେ ଏଆଇଏମଆଇଏମ ପ୍ରାର୍ଥୀ ଲଢିବେ ସେଠାରେ ମୁସଲିମ ଭୋଟ୍ ବିଭାଜିତ ହୋଇପାରେ। ବିରୋଧି ଦଳଙ୍କ ପାଇଁ ମୁସଲମାନ ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟ୍ ବ୍ୟାଙ୍କ ଭାବେ ବିବେଚିତ ହୋଇଥାଏ। ଖବର ଅନୁଯାୟୀ ଏଆଇଏମଆଇଏମ ଉତ୍ତର ପ୍ରଦେଶର ୨୦, ବିହାରର ୭ ଆସନରେ ପ୍ରାର୍ଥୀ ଦେବ। ଗତ ୨୦୧୯ ଲୋକ ନିର୍ବାଚନରେ ଏଆଇଏମଆଇଏମ କେବଳ ବିହାରର ଗୋଟିଏ ଆସନରେ ପ୍ରାର୍ଥୀ ଦେଇଥିଲା। ଦଳ ହାଇଦ୍ରାବାଦ ବ୍ୟତୀତ ସିକନ୍ଦରାବାଦ ଆସନରେ ନିର୍ବାଚନ ଲଢୁ ବୋଲି ଏଆଇଏମଆଇଏମ କ୍ୟାଡର ଚାହୁଁଛନ୍ତି। 

ଲୋକସଭା ନିର୍ବାଚନ ୨୦୨୪: ଆସାଦୁଦ୍ଦିନ ଓୱେସିଙ୍କ ପାଇଁ ବିଭାଜିତ ହୋଇପାରେ ମୁସଲିମ ଭୋଟ୍ ବ୍ୟାଙ୍କ! ଜାଣନ୍ତୁ କିପରି 

  • ୧. ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ ଏହାର ଗଡ଼ ତେଲେଙ୍ଗାନା ଠାରେ ସବୁଠାରୁ ଅଧିକ ଶକ୍ତିଶାଳୀ। ୨୦୨୪ ଲୋକସଭା ନିର୍ବାଚନରେ ଏଆଇଏମଆଇଏମ ତେଲେଙ୍ଗାନାର ସିକନ୍ଦରାବାଦ ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। ତେଲେଙ୍ଗାନା ବ୍ୟତୀତ ମହାରାଷ୍ଟ୍ରରେ ନିର୍ବାଚନ ଲଢିବ ଏଆଇଏମଆଇଏମ। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସମେତ  ମରାଠୱାଡା ଅଞ୍ଚଳରେ ଅବସ୍ଥିତ ଆସନ ଉପରେ ନଜର ରଖିଛି ଦଳ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଆଇଏମ୍ଆଇଏମ୍ ଏଥର ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବ ନାହିଁ।
  • ୨.ଇଣ୍ଡିଆନ ଏକ୍ସପ୍ରେସ ସହ କଥାବାର୍ତ୍ତା ବେଳେ ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଯେ ଦଳ ହାଇଦ୍ରାବାଦ (ତେଲେଙ୍ଗାନା), ଔରଙ୍ଗାବାଦ (ମହାରାଷ୍ଟ୍ର) ଏବଂ କିଶନଗଞ୍ଜ (ବିହାର) ଲୋକସଭା ଆସନରେ ନିର୍ବାଚନ ଲଢିବ। ଦିବାର ଏଆଇଏମଆଇଏମ ଶାଖା ରାଜ୍ୟରେ ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି। ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଦାବି କରାଯାଉଛି। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ବ୍ୟତୀତ ମରାଠୱାଡା ଆସନରେ ଲଢିବା ନେଇ ଆଲୋଚନା ହେଉଛି। ଏଆଇଏମଆଇଏମ କେତେ ଆସନରେ ନିର୍ବାଚନ ଲଢିବ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ।
  • ୩.ବର୍ତ୍ତମାନର ସପ୍ତଦଶ ଲୋକସଭାରେ କେବଳ ୨ ଜଣ ଏଆଇଏମଆଇଏମ ସାଂସଦ ଅଛନ୍ତି। ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି ନିଜେ ହାଇଦ୍ରାବାଦ ଲକୋସଭା ଆସନର ସାଂସଦ ଅଛନ୍ତି। ସେହିପରି ଏଆଇଏମଆଇଏମ ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ଇମତିଆଜ ଜଲିଲ ରାଜ୍ୟର ଔରଙ୍ଗାବାଦର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିହାର କିଶନଗଞ୍ଜ ଲୋକସଭା ଆସନରେ ଏଆଇଏମଆଇଏମ  ପ୍ରାର୍ଥୀ ଅଖତର-ଉଲ-ରେହମାନ ପ୍ରାୟ ୩ ଲକ୍ଷ ଭୋଟ ପାଇବା ସହ ତୃତୀୟ ସ୍ଥାନରେ ରହିଥିଲେ। ଏଥର ମଧ୍ୟ ଅଖତର ଦଳୀୟ ପ୍ରାର୍ଥୀ ଭାବେ ପୁନର୍ବାର କିଶନଗଞ୍ଜ ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ଗତ ଥରର ଲୋକସଭା ନିର୍ବାଚନରେ ​​କିଶନଗଞ୍ଜ ବିହାରର ଏକ ମାତ୍ର ଲୋକସଭା ଆସନ ରହିଥିଲା ଯେଉଁଠାରେ କଂଗ୍ରେସ-ଆରଜେଡି ମେଣ୍ଟ ବିଜୟୀ ହୋଇଥିଲା।
  • ୪.ଉତ୍ତର ପ୍ରଦେଶ-ବିହାର ଭଳି ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ ଏଆଇଏମଆଇଏମ ନିର୍ବାଚନ ଲଢିବା ଅଣ ବିଜେପି ଦଳଙ୍କ ଚିନ୍ତା ବଢାଇ ଦେଇଛି। କାରଣ ଯଦି ଏଆଇଏମଆଇଏମ ଏଥର ଅଧିକ ଲୋକସଭା ଆସନରେ ନିର୍ବାଚନ ଲଢେ ତାହେଲେ କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟର ମୁସଲିମ ବ୍ୟାଙ୍କ ବିଭାଜିତ ହେବାର ସମ୍ଭାବନା ରହିଛି। ଅସାଦୁଦ୍ଦିନ ଓୱେସି ସିଧାସଳଖ ମୁସଲିମ ଭୋଟ୍ ବ୍ୟାଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରିଥାନ୍ତି। ଉତ୍ତର ଭାରତରେ ଅନେକ ଲୋକସଭା ଆସନରେ ମୁସଲମାନ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏଆଇଏମଆଇଏମ ଆଗମନ ଦ୍ୱାରା ମୁସଲିମ ଭୋଟ୍ ବିଭାଜିତ ହୋଇପାରେ। ଯାହାର କ୍ଷତି କେବଳ ଅଣ ବିଜେପି ଦଳଙ୍କୁ ଉଠାଇବାକୁ ହେବ। 
  • ୫. ଗତ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲା ଏଆଇଏମଆଇଏମ। ଗତ ୨୦୧୭ ବର୍ଷରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନରେ ୩୨ ସିଟ୍ ଜିତି ନିଜର ଉପସ୍ଥିତି ପଞ୍ଜୀକରଣ କରିଥିଲା ଏଆଇଏମଆଇଏମ। ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳକୁ ଯଦିଓ କିଛି ଆସନ ମିଳିନଥିଲା। ହେଲେ ପାଖାପାଖି ୧୦ ଆସନରେ ଦଳ ଭଲ ଭୋଟ୍ ପାଇଥିଲା। ମୁମ୍ବାଇ ଏବଂ ମରାଠୱାଡା ଅଞ୍ଚଳର ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ ମୁସଲମାନ। ସେଠାରେ ଏଆଇଏମଆଇଏମ ପ୍ରବେଶ ସହିତ କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଲାଗି ସମସ୍ୟା ବଢିପାରେ।
  • ୬. ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ରାଜ୍ୟ ସୀମାଞ୍ଚଳରେ ଏଆଇଏମଆଇଏମ ଭଲ ପ୍ରଦର୍ଶନ କରିଥିଲା। ଯେଉଁଠାରେ ବହୁ ସଂଖ୍ୟାରେ ମୁସଲମାନ ବସବାସ କରିଥାନ୍ତି। ଏହି ନିର୍ବାଚନରେ ଦଳ ୫ ଆସନ ପାଇଥିଲା। ପରେ ୪ ଏଆଇଏମଆଇଏମ ବିଧାୟକ ଦଳ ଛାଡ଼ି ଆରଜେଡି ହାତ ଧରିଥିଲେ। ଯାହାକୁ ଅସାଦୁଦ୍ଦିନ ଓୱେସି ଭୁଲି ପାରି ନାହାଁନ୍ତି। ଏହି କାରଣରୁ ଏଆଇଏମଆଇଏମ ବିହାରରେ ବିରୋଧି ମେଣ୍ଟରେ ସାମିଲ ହୋଇନାହିଁ।
  • ୭. ଇଣ୍ଡିଆନ ଏକ୍ସପ୍ରେସ ସହ କଥାବାର୍ତ୍ତା କରିବା ବେଳେ ଅସାଦୁଦ୍ଦିନ ଓୱେସି କହିଛନ୍ତି, ଆରଜେଡି ବିହାରରେ "ଇଣ୍ଡିଆ" ଗଠବନ୍ଧନ ସହି ଅଛି। ଆରଜେଡ଼ି ଆମ ଦଳର ୪ ଜଣ ବିଧାୟକଙ୍କୁ ନେଇ ଯାଇଥିଲା।  ଏଆଇଏମଆଇଏମ, ଆରଜେଡ଼ି ସହ ମେଣ୍ଟ କରିବାର କୌଣସି ସମ୍ଭାବନା ନାହିଁ। ଏଆଇଏମଆଇଏମ, କାହିଁକି "ଇଣ୍ଡିଆ" ସହିତ ନାହିଁ? ଏହି ପ୍ରଶ୍ନର ଉତ୍ତର କେବଳ "ଇଣ୍ଡିଆ" ଦେଇପାରିବ। ସେମାନେ ଏକ ଏଲିଟ୍ କ୍ଲବ୍ ସୃଷ୍ଟି କରିଛନ୍ତି। ଏହାର ସଦସ୍ୟତା କେବଳ ସେମାନଙ୍କ ପାଇଁ ଉପଲବ୍ଧ ରହିଛି। ଆରମ୍ଭରୁ ସେମାନେ ଆମକୁ ଦୁର୍ବ୍ୟବହାର କରି ଆସୁଛନ୍ତି।
  • ୮. ବିହାର ଏଆଇଏମଆଇଏମ ମୁଖପାତ୍ର ଆଦିଲ ହାସନଙ୍କ କହିବା ଅନୁଯାୟୀ କିଶନଗଞ୍ଜ ବ୍ୟତୀତ ତାଙ୍କ ଦଳ କଟିହାର, ପୂର୍ଣ୍ଣିୟା, ଅରରିଆ, ଦରଭଙ୍ଗା, ଗୟା ଏବଂ ମଧୁବନୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ବିଏସପି ସହ ମେଣ୍ଟ ପାଇଁ ଆଲୋଚନା ଚାଲିଛି। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ  ଏଆଇଏମଆଇଏମ, ବିଏସପି ସହ ମେଣ୍ଟ କରିଥିଲା। 
  • ୯. ଉତ୍ତର ପ୍ରଦେଶ ଏଆଇଏମଆଇଏମ ନେତା ଶୌକତ ଅଲ୍ଲୀଙ୍କ କହିବା ଅନୁଯାୟୀ ଆମେ ସମାଜବାଦୀ ପାର୍ଟି- ବହୁଜନ ସମାଜ ପାର୍ଟି ସମେତ ସମସ୍ତ ବିରୋଧି ଦଳକୁ ଜଣାଇ ସାରିଛୁ। ହେଲେ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ନାହିଁ। ରାଜ୍ୟର ୨୦ ନିର୍ବାଚନ ଲଢିବା ନେଇ ଆମେ ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନଙ୍କୁ ପ୍ରସ୍ତାବ ଦେଇଛୁ। ସମ୍ଭଲ, ମୁରାଦାବାଦ, ବିଜନୋର, ଅମରୋହା, ସହାରନପୁର, କାନପୁର ଏବଂ ଜୌନପୁର ଆସନରେ ଲଢିବାକୁ ଚାହୁଁଛି  ଏଆଇଏମଆଇଏମ।
  • ୧୦. ଏଆଇଏମଆଇଏମ ନେତା ଶୌକତ ଅଲ୍ଲୀଙ୍କ କହିବା ଅନୁଯାୟୀ ଧର୍ମନିରପେକ୍ଷ ଦଳ ମୁସଲିମ ନେତୃତ୍ୱକୁ ଅସ୍ପୃଶ୍ୟ ବୋଲି ବିବେଚନା କରିଥାନ୍ତି। ସେମାନେ ମୁସଲମାନ ଭୋଟ୍ ଚାହିଁଥାନ୍ତି। ହେଲେ ସେମାନେ ମୁସଲମାନ ନେତୃତ୍ୱ ଚାହାଁନ୍ତି ନାହିଁ। ଏବେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମୁସଲିମ ଭୋଟ୍ ଯୋଡିବାରେ ବ୍ୟସ୍ତ ଅଛନ୍ତି। ସେମାନେ ଭୟ କରୁଛନ୍ତି ଯେ ଯଦି ଏଆଇଏମଆଇଏମ କୌଣସି ଦଳ ସହ ମେଣ୍ଟ କରେ ତାହେଲେ ଆମେ ଅଧିକ ଶକ୍ତିଶାଳୀ ହୋଇଯିବୁ। ସମାଜବାଦୀ ପାର୍ଟି କିମ୍ବା କଂଗ୍ରେସ ଭଳି ଦଳର ଭୋଟ୍ ବ୍ୟାଙ୍କ ଛଡ଼ାଇ ନେବୁ।